Monday, July 30, 2018

କୁଷ୍ଠ ରୋଗୀଙ୍କ ସେବାରେ ସମର୍ପିତ ଜୀବନ




ରୋଗତ ରୋଗ ପୁଣି ବଡ ରୋଗ । ଆଗେ କୁଷ୍ଠ ରୋଗକୁ ବଡ ରୋଗ ବୋଲି କହୁଥିଲେ । ଲୋକେ କୁଷ୍ଠ ରୋଗୀଙ୍କୁ ଦେଖିଲେ ନାକ ଟେକୁଥିଲେ । ସେମାନଙ୍କ ଠାରୁ ଦୂରରେ ରହୁଥିଲେ କିନ୍ତୁ ସେହି ରୋଗୀଙ୍କ ଗଣରେ ରହି ସେହି ରୋଗୀମାନଙ୍କୁ ସକ୍ଷମ କରିଛନ୍ତି ଜଣେ ସମାଜସେବକ । ନିଜର ଜୀବନକୁ ତିଳ ତିଳ କରି ଜାଳିଦେଇଛନ୍ତି କୁଷ୍ଠ ରୋଗୀମାନଙ୍କ ସେବାରେ । ତନ ମନ ଧନ ଦେଇ ସେମାନଙ୍କର ସେବା କରିଛନ୍ତି ।  ସେ କୁଷ୍ଠ ରୋଗୀମାନଙ୍କୁ ସକ୍ଷମ କରି ଗଢି ତୋଳିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା କୁଷ୍ଠ ରୋଗୀମାନେ ନିଜେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।  ଭିକ୍ଷାବୃତ୍ତି ଛାଡି କାମ ଧନ୍ଦାରେ ଲାଗିପଡିଛନ୍ତି । ସ୍ୱାଭିମାନର ସହିତ ବଞ୍ଚୁଛନ୍ତି । ଏହି କୁଷ୍ଠ ରୋଗୀମାନଙ୍କୁ ସ୍ୱାଭିମାନ ଓ ସ୍ୱାବଲମ୍ବୀ କରି ଗଢି ତୋଳିବାରେ ଯାହାଙ୍କର ଭୂମିକା ଥିଲା ତାଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି ।
ସେହି ମହାନ ସେବକ ହେଉଛନ୍ତି ଦାମୋଦର ଗଣେଷ ବାପଟ । ମହାରାଷ୍ଟ୍ର ପ୍ରଦେଶର ଅମରାବତୀ ଜିଲ୍ଲା ଆଚାଲପୁର ତହସିଲର ପଥରୋଟ ଗାଁରେ ୧୯୩୫ ମସିହା ଏପ୍ରିଲ ୨୯ ତାରିଖରେ ତାଙ୍କର  ଜନ୍ମ । ପିତାଙ୍କ ନାମ ଗଣେଷ ବିନାୟକ ବାପଟ । ତାଙ୍କ ପିତାଜଣେ ରେଲୱେ କର୍ମଚାରୀ । ତିନି ଭାଇ ମଧ୍ୟରେ ସେ ହେଉଛନ୍ତି ସବା ସାନଭାଇ । ତାଙ୍କର ପ୍ରାଥମିକ ଶିକ୍ଷା ମୂର୍ତ୍ତିଜାପୁରରେ ହୋଇଥିଲା । ଶ୍ରୀ ବାପଟ ଗୋବିନ୍ଦରାମ ସାକ୍ସେନା କଲେଜ ଅଫ୍ କମର୍ସ,ନାଗପୁରରୁ ବିକମ୍ ଅନର୍ସ ଶିକ୍ଷା ସମାପ୍ତ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିବା ପରି ଦୋମୋଦରଙ୍କର ପିଲାଟି ବେଳୁ ସେବା କାମରେ ମନ ଥିଲା । ତାଙ୍କୁ ୯ ବର୍ଷ ହେଲା ବେଳକୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ହୋଇ ଯାଇଥିଲେ । ପାଠ ପଢିବା ଶେଷ କରିବା ପରେ ଜୀବିକାପାର୍ଜନ ପାଇଁ ଦାମୋଦର କିଛି ଛୋଟ ଛୋଟ କମ୍ପାନୀରେ ଚାକିରୀ କରିଥିଲେ । କିନ୍ତୁ ତାଙ୍କର ମନ ସେଥିରେ ଲାଗୁ ନଥାଏ । ତାଙ୍କ ପିତାଙ୍କ ମୃତ୍ୟୁପରେ ସେ ମାଆଙ୍କର ସମସ୍ତ ଦାୟିତ୍ୱ ବହନ କରିଥିଲେ । କିଛି ଦିନପରେ ମା ବଡ ଭାଇଙ୍କ ପାଖରେ ରହିଲେ । ରେଡିଓରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ବାଳାସାହେବ ଦେଶପାଣ୍ଡେଙ୍କ ସାକ୍ଷାତକାର ଶୁଣି ଦାମୋଦର ମାନବ ସେବା ପାଇଁ ମନବଳାଇଥିଲେ । ସେ ଛତିଶଗଡର ଜଶପୁର ଥିବା ବନବାସୀ କଲ୍ୟାଣ ଆଶ୍ରମରେ ପହଂଚି ଥିଲେ  । ବନବାସୀ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ତଥା ବନବାସୀମାନଙ୍କୁ ପାଠ ପଢାଇବା ପାଇଁ ତାଙ୍କୁ ବନବାସୀ କ୍ଷେତ୍ରକୁ ପଠାଯାଇଥିଲା ।
ଦମୋଦର ଦିନେ ସଦାଶିବ ରାଓ ଗୋବିନ୍ଦ କାନ୍ତେଙ୍କ ଦ୍ୱାରା  ପରିଚାଳିତ ଛଡିଶଗଡର ଜାଞ୍ଜଗିରି ଚାମ୍ପା ଜିଲ୍ଲା ଶକ୍ତି ତହସିଲ ସୋନ୍ଥି ରେ ଥିବା କୁଷ୍ଠ ସେବାକେନ୍ଦ୍ରକୁ ବୁଲିବାକୁ ଯାଇ ଥିଲେ । ସେଠାରେ ସେ ସଦାଶିବଙ୍କ କାର୍ଯ୍ୟ ଦେଖି ଖୁବ୍ ପ୍ରଭାବିତ ହୋଇଥିଲେ । ଫେରିବା ସମୟରେ ସେ  ସଦାଶିବଙ୍କୁ କିଛି ପଚାରିଲେ ଏବଂ କହିଲେ ଆପଣଙ୍କର କି ସାହାଯ୍ୟ ଦରକାର । କାନ୍ତେ କହିଲେ ଯେ, ଅନେକ ସାମାଜିକ କାର୍ଯ୍ୟ ପାଇଁ କାର୍ଯ୍ୟକର୍ତ୍ତାମାନେ ଅଛନ୍ତି କିନ୍ତୁ କୁଷ୍ଠ ରୋଗୀଙ୍କ ସେବା ପାଇଁ କୌଣସି କାର୍ଯ୍ୟାକର୍ତ୍ତା ଦେଖାଯାଉନାହାଁନ୍ତି । କେହି କେହି ଆସୁଛନ୍ତି, ସେବା କରିବା ପାଇଁ କଥା ଦେଉଛନ୍ତି, ତାହାପରେ ଯାଉଛନ୍ତି ଯେ ଆଉ ଆସୁ ନାହାଁନ୍ତି । କିନ୍ତୁ ଦାମୋଦର କଥା ଦେଲେ ଯେ ସେ ନିଶ୍ଚିତ ରୂପେ କୁଷ୍ଠ ରୋଗୀଙ୍କ ସେବାରେ ସମୟ ଦେବେ ।

ମନ ଥିଲେ ଉପାୟ ଆପେ ଆପେ ଆସେ । ଦାମୋଦରଙ୍କର ମନ ରହିଥାଏ ସଦାଶିବ ରାଓ ଗୋବିନ୍ଦ କାନ୍ତେଙ୍କ ଦ୍ୱାରା ପରିଚାଳିତ ଭାରତୀୟ କୁଷ୍ଠ ନିବାରକ ସଂଘରେ ରହି କାମ କରିବାକୁ । ଏହି ସେବା କ୍ଷେତ୍ରଟି ମଧ୍ୟ ସଂଘର । କୁଷ୍ଠ ନିବାରକ ସଂଘରେ ଅଧିକ ସଂଖ୍ୟକ କୁଷ୍ଠ ରୋଗୀ ହୋଇ ଯିବାରୁ ଅଧିକ ସଂଖ୍ୟାର କାର୍ଯ୍ୟକର୍ତ୍ତା ଆବଶ୍ୟକ ହେଉଥିଏ । ଏଣେ ଦାମୋଦରଙ୍କର ମନ ଥାଏ କୁଷ୍ଠ ରୋଗୀଙ୍କ ସେବା କରିବା ପାଇଁ । ତେଣୁ କିଛି ଦିନପରେ ଦାମୋଦରଙ୍କୁ ସଂଘ ତରଫରୁ ଭାରତୀୟ କୁଷ୍ଠ ନିବାରକ ସଂଘର କାମ କରିବାକୁ ପଠାଗଲା । ୧୯୭୨ ମସିହାରେ ସେ ଭାରତୀୟ କୃଷ୍ଠ ନିବାରକ ସଂଘର କାମରେ ଯୋଗ ଦେଇଥିଲେ । ଦାମୋଦର କୁଷ୍ଠରୋଗୀଙ୍କ ସେବାରେ ନିଜର ମନ ପ୍ରାଣ ଲଗାଇ ଦେଲେ । ସମସ୍ତ କୁଷ୍ଠ ରୋଗୀ ଦାମୋଦରଙ୍କୁ ଅତି ଆପଣାର ମନେ କଲେ । ଭାରତୀୟ କୁଷ୍ଠ ନିବାରକ ସଂଘକୁ ବଟ ବୃକ୍ଷ ସଦୃଶ ନିଜର ପରିଶ୍ରମରେ ତିଆରି କରିଥିବା ଦାମୋଦର ସଦାବେଳେ ପ୍ରଚାର ପ୍ରସାର ଠାରୁ ଦୁରରେ ରୁହନ୍ତି । ଏହା ତାଙ୍କର ସଂସ୍କାର  । ଏହି ସଂସ୍କାର ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଠାରୁ ପାଇଛନ୍ତି । ସଂଘର ସ୍ୱୟଂସେବକମାନେ ଏହିପରି ଅନେକ ସେବା କେନ୍ଦ୍ର ଚଳାଉଥିଲେ ମଧ୍ୟ ଆଜି ସେମାନେ ପ୍ରଚାର ପ୍ରସାର ବା ସରକାରୀ ସାହାର୍ଯ୍ୟ ଠାରୁ ବହୁ ଦୂରରେ ଅଛନ୍ତି ।  ଦୀନଦୁଃଖିଙ୍କ ସେବା କରିବା ହେଉଛି ସେମାନଙ୍କର ମହାନ କାର୍ଯ୍ୟ ଓ ବିଶ୍ୱାସ । ପଦ୍ମଶ୍ରୀ ସମ୍ମାନ ପାଇ ସାରିବା ପରେ ଦାମୋଦର କୁହନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଘଣ୍ଟାଏ ଲେଖାଏଁ ଦିନଦୁଃଖିଙ୍କ ସେବାରେ ଦେଲେ ଭାରତୀୟ ସମାଜରେ ସାମାଜିକ ସମରସତା ଓ ବନ୍ଧୁତ୍ୱର ଭାବ ଦୃଢ ହୋଇ ପାରିବ । ଏହି ସମ୍ମାନ କୁଷ୍ଠ ରୋଗୀମାନଙ୍କ ପାଇଁ ଅର୍ପିତ । ଯେଉଁ ଦିନ ଭାରତୀୟ ସମାଜ କୁଷ୍ଠରୋଗୀମାନଙ୍କୁ ନିଜ ହୃଦୟରେ ଆଦରି ନେଇ ସେମାନଙ୍କର ସେବା କରିବା ପାଇଁ ଆଗେଇ ଆସିବ ସେହି ଦିନ ମୁଁ ଭାବି ପାରିବି ଯେ ମୋତେ ପ୍ରକତ ସମ୍ମାନ ମିଲିଲା  ।
ଗୋଲଖ ଚନ୍ଦ୍ର ଦାସ
୩୫,ଏନ୍ଏସି ଫ୍ଲାଟ, ୟୁନିଟ-୩, ଭୁବନେଶ୍ୱର
ମୋ-୯୮୬୧୦୨୮୫୫୩