Tuesday, June 5, 2018

୨ ହଜାର ଏକର ଜଙ୍ଗଲ ଜଗିଛନ୍ତି ଭୁବନେଶ୍ୱର


ବଲାଙ୍ଗିର: ଶିଳ୍ପାୟନ ନାମରେ ଦିନକୁ ଦିନ ଜଙ୍ଗଲ ଉଜୁଡ଼ି ଯାଉଛି। ବିକାଶ ନାମରେ ପରିବେଶ ବିଗିଡ଼ି ଯାଉଛି। ମଣିଷ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଜଙ୍ଗଲ କାଟୁଛି। କିନ୍ତୁ ବଲାଙ୍ଗିର ଜିଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଡ଼ିଆଯୋର ଗାଁରେ ଏଭଳି ଜଣେ ମଣିଷ ଅଛନ୍ତି ଯିଏ ନିଜ ଜୀବନର ଅଧିକାଂଶ ସମୟ ଜଙ୍ଗଲ ପାଇଁ ସମର୍ପଣ କରିଛନ୍ତି। ପରିବେଶ ପ୍ରତି ଥିବା ତାଙ୍କର ଅଗାଢ଼ ପ୍ରେମ ଆଗରେ ହାର ମାନିଛି ବୟସ। ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ‘ମହଦା ଶନି ସଂରକ୍ଷିତ ଜଙ୍ଗଲର ରାଜା’ ନାମରେ ପରିଚିତ। ପ୍ରାୟ ୨ ହଜାର ଏକର ଜଙ୍ଗଲ ଜଗିବା ସହିତ ଜଙ୍ଗଲର ସୁରକ୍ଷା ବାର୍ତ୍ତା ବାଣ୍ଟୁଛନ୍ତି ଏହି ୭୮ ବର୍ଷୀୟ ବୃଦ୍ଧ ଭୁବନେଶ୍ୱର ଠାକୁର।

ବଲାଙ୍ଗିର ସଦର ମହକୁମାଠାରୁ ପ୍ରାୟ ୫୦ କିମି ଦୂରରେ ରହିଛି ଗଡ଼ିଆଯୋର ଗାଁ। ୧୯୬୭-୬୭ ମସିହାରୁ ଆରମ୍ଭ ହୋଇଛି ଭୁବନେଶ୍ୱରଙ୍କ ସଂଘର୍ଷର କାହାଣୀ। ସେ ସମୟରେ ସରକାର ଜଙ୍ଗଲ ନିଲାମ କରିଦେଉଥିଲେ। ଲୋକେ ୨ ପଇସା ଲାଭ ପାଇବା ପାଇଁ ଜଙ୍ଗଲର ଗଛ ବିକ୍ରି କରୁଥିଲେ। ସମୟ ଏମିତି ଆସିଲା ଯେ ଯେଉଁଠି ପତରା, ଗୋଚର, ଡଙ୍ଗର, ଜଙ୍ଗଲ, ରିଜର୍ଭ ଫରେଷ୍ଟ ହସୁଥିଲା ସେଠି ଜଙ୍ଗଲ ଶୂନ୍ୟ ହୋଇ କାନ୍ଦିଲା। ଏହାପରେ ଜଙ୍ଗଲ ବଞ୍ଚାଇବାକୁ ଭୁବନେଶ୍ୱର ପ୍ରତିଜ୍ଞା କଲେ। ପିତା ସ୍ୱର୍ଗତ ଗୁଣନିଧି ଠାକୁରଙ୍କ ଆଦର୍ଶକୁ ସମ୍ମାନ ଜଣାଇ ସବୁକିଛି ତ୍ୟାଗ କରି ୧୯୮୨ ମସିହାରୁ ଜଙ୍ଗଲ ସୁରକ୍ଷା ଆରମ୍ଭ କରିଥିଲେ ଭୁବନେଶ୍ୱର। ୨ ହଜାର ଏକର ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲେ। ଏଥିପାଇଁ ସମସ୍ତେ ତାଙ୍କୁ ପ୍ରଥମେ ନିରୁତ୍ସାହିତ କରିଥିଲେ। ଏମିତିକି ଭୁବନେଶ୍ୱର ପାଗଳ ହୋଇଗଲାଣି ବୋଲି ଲୋକେ କୁହାକୁହି ହେଲେ। ଖାଲିଟାରେ କିଏ ଜଙ୍ଗଲ ଜଗିବ ବୋଲି ତାତ୍ସଲ୍ୟ କରୁଥିଲେ। କିନ୍ତୁ ସେ ସବୁକୁ ଭ୍ରୂକ୍ଷେପ ନ କରି ଜଙ୍ଗଲ ବଞ୍ଚାଇବାକୁ ଭୁବନେଶ୍ୱର ଦୃଢ଼ ପ୍ରତିଜ୍ଞ ଥିଲେ। ଭୁବନେଶ୍ୱରଙ୍କ ଉଦ୍ୟମରେ ୧୯୮୨ ରୁ ୧୯୯୨ ଯାଏଁ ମାତ୍ର ୧୦ ବର୍ଷ ମଧ୍ୟରେ ଜଙ୍ଗଲ ପୁଣି ହସିଲା। ୧୯୯୨ ମସିହାରେ ତତ୍କାଳୀନ ବଲାଙ୍ଗିର ଜିଲାପାଳ ଓ ଡିଏଫ୍‍ଓ ଭୁବନେଶ୍ୱରଙ୍କୁ ‘ପ୍ରକୃତି ବନ୍ଧୁ ପୁରସ୍କାର’ ଦେଇ ସମ୍ମାନିତ କରିଥିଲେ। ଏହା ତାଙ୍କୁ ଆହୁରି ଉତ୍ସାହିତ କରିଥିଲା। ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱର ସମ୍ମାନିତ ହୋଇଛନ୍ତି।

ଏ ସମ୍ପର୍କରେ ଭୁବନେଶ୍ୱର କହିଛନ୍ତି ଯେ ଏହି ଜଙ୍ଗଲରେ ଚିତା ବାଘ, ଭାଲୁ, ବାରହା, ସମ୍ବର, ହାତୀ, କୁଟୁରା ଆଦି ଅନେକ ହିଂସ୍ର ଜନ୍ତୁ ରହିଛନ୍ତି। ଜଙ୍ଗଲ ବଢ଼ିଲା ପରେ ମୋତେ ବହୁତ ଭୟ ଲଗିଥିଲା। ନିଜ କୁକର ସହ ଧନୁ, ଟାଙ୍ଗିଆ ନେଇ ଜଙ୍ଗଲ ଜଗିଲେ, ଲୋକଙ୍କୁ ସଚେତନ କଲେ। ଜଙ୍ଗଲଜାତ ଦ୍ରବ୍ୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତିରେ ବିରାଟ ପରିବର୍ତ୍ତନ ହୋଇଛି। ଝାଡୁ ଗୋଟା ୨୦ ଟଙ୍କାରେ ବିକ୍ରି ହେଉଛି। ଖଲିଦନା ଶହ ଶହ ଟଙ୍କାରେ ବିକ୍ରି ହେଉଛି। ମହୁଲ, ହରିଡ଼ା, ଅଁଳା, ବାହାଡ଼ା ସବୁ କିଛି ମିଳୁଛି। କାଠ ସମସ୍ୟା ଆଉ ନାହିଁ। ଜଙ୍ଗଲ ଯୋଗୁଁ ମରୁଡ଼ି ଆଶଙ୍କା ଦୂର ହୋଇଛି। ବର୍ଷ ସାରା ଝଡୁଥିବା ପତ୍ରକୁ ନିଅାଁ ନ ଲଗାଇ ସାର ଭାବେ ବ୍ୟବହାର କରାଯାଉଛି। ଜଙ୍ଗଲ ଯୋଗୁଁ ମୃତ୍ତିକା ସଂରକ୍ଷଣ ହେଉଛି।
ଭୁବନେଶ୍ୱରଙ୍କ ଉଦ୍ୟମରେ ଗଠନ ହୋଇଛି ‘ବସୁଧା ବିକାଶ ସମିତି’।
ସ୍ଥାନୀୟ ୭ଟି ପଞ୍ଚାୟତରେ ଜଙ୍ଗଲ ସୁରକ୍ଷା ନେଇ ସମିତି ସଚେତନତା ଜାରି ରଖିଛି। ‘ଜଙ୍ଗଲ ଆମର ଥିଲା ଆମର ରହିବ। ଆମେ ଯଦି ଏହାକୁ ସୁରକ୍ଷା ନକରିବା ଆଉ କରିବ କିଏ’ ବୋଲି ଭୁବନେଶ୍ୱର କହିଛନ୍ତି। ନୟାଗଡ଼, କେନ୍ଦୁଝର, କୋରାପୁଟ ଜିଲାର ବିଭିନ୍ନ ସ୍ଥାନକୁ ସଚେତନ ପାଇଁ ଡାକରା ଆସିଲେ ଯାଆନ୍ତି ଭୁବନେଶ୍ୱର। ଏବେ ବି ଅନେକ ଏନ୍‍ଜିଓ ଆସି ବୁଲି ଯାଉଛନ୍ତି। ରାଜ୍ୟ ଓ ଦେଶ ବାହାରୁ ମଧ୍ୟ ଲୋକେ ଆସି ଦେଖି ଯାଉଛନ୍ତି। ସ୍ତ୍ରୀ ଆର ପାରିରେ। ‘ନିଜ କଥା ଭାବିଲା ବେଳକୁ ମୋର ଆଉ କିଛି ନାହିଁ। ଜଙ୍ଗଲ ହିଁ ମୋର ଜୀବନ’ ବୋଲି କୁହନ୍ତି ଭୁବନେଶ୍ୱର। ଭୁବନେଶ୍ୱରଙ୍କ ସମ୍ପର୍କରେ ପାଟଣାଗଡ଼ ରେଞ୍ଜର ବାସୁଦେବ ନାଥ କୁହନ୍ତି ସେ ଏଥିପାଇଁ ଖୁବ ପରିଶ୍ରମ କରନ୍ତି। ଗଛ ଚୋରି ହେଉ କି ନିଆଁ ସବୁ ସମୟରେ ବନ ବିଭାଗକୁ ସାହାଯ୍ୟ କରନ୍ତି। ‘ଏହା ଲୋକଙ୍କ ଜଙ୍ଗଲ। ଲୋକ ଚାହିଁଲେ କେହି ଗୋଟେ ବି କାଠ ନେଇ ପାରିବେ ନାହିଁ’ ବୋଲି କୁହନ୍ତି ଭୁବନେଶ୍ୱର।

5-6-2018

ମୃତ୍ୟୁ ପରେ ବି ମହାନ କାର୍ଯ୍ୟ

ବ୍ରହ୍ମପୁର : ମୃତ୍ୟୁ ପରେ ବି ଜୀବିତ ରହିବ ଚକ୍ଷୁ। ଅନ୍ୟ ଜଣଙ୍କୁ ଦୃଷ୍ଟି ଶକ୍ତି ଦେଇ ପାରିବ। ବ୍ରହ୍ମପୁର ସହରର କପିଳେଶ୍ୱର ପେଟା ସାହିର ଏକ ପରିବାର ଚକ୍ଷୁଦାନ ପରି ମହାନ କାର୍ଯ୍ୟ କରିଛନ୍ତି। ଟି. ପାର୍ବତି ଆମ୍ମା ନାମକ ବୟସ୍କା ମହିଳା ମୃତ୍ୟୁପରେ ତାଙ୍କ ବଡପୁଅ ଟି.କାମେଶ୍ୱର ରାଓ ମା’ଙ୍କର ଦୁଇଟି ଆଖିକୁ ଏମ.କେ.ସି.ଜି ଚକ୍ଷୁ ବିଭାଗରେ ଦାନ କରିଥିଲେ। ଏହାର କିଛି ସମୟପରେ ଟି. କାମେଶ୍ୱର ରାଓ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ଚିକିତ୍ସାପାଇଁ ଏମ.କେ.ସି.ଜି ମେଡିକାଲ କଲେଜ୍‍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କର ସ୍ତ୍ରୀ ଟି. କାମେଶ୍ୱରଙ୍କ ଦୁଇଟି ଚକ୍ଷୁକୁ ଦାନ କରିଛନ୍ତି। ଏହି ମହତ କାର୍ଯ୍ୟରେ ପରିବାର ଲୋକେ ସହଯୋଗର ହାତ ବଢାଇଛନ୍ତି।
ଟି. କାମେଶ୍ୱର ରାଓ ଜଣେ ସମାଜସେବୀ ଥିଲେ। ସେ ମାତୃ ଓ ଶିଶୁମଙ୍ଗଳ କେନ୍ଦ୍ରର ସମ୍ପାଦକ ଓ ଲୁଗା ବ୍ୟବସାୟୀ ସଙ୍ଘର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଉଭୟ ମା’ ଓ ପୁଅର ବିୟୋଗରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଥିସହ ଏଭଳି ମହତ୍ୱ କାର୍ଯ୍ୟ ଅନେକଙ୍କ ମନରେ ପ୍ରେରଣା ଦେବା ସହ ଉଦାହରଣ ସୃଷ୍ଟି କରିଛି। 




5-6-2018

୫ ବର୍ଷ ଧରି ଭିକାରୀ ଓ ବେସାହାରାଙ୍କୁ ମାଗଣାରେ ଚିକିତ୍ସା କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଡାକ୍ତର

୫ ବର୍ଷ ଧରି ଭିକାରୀ ଓ ବେସାହାରାଙ୍କୁ ମାଗଣାରେ ଚିକିତ୍ସା କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଡାକ୍ତର ଦମ୍ପତ
ପୁଣେ, ୫ ।୬: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । କିନ୍ତୁ ଏବେ ଡାକ୍ତରଙ୍କୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଛି । କାରଣ ଏବେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଟଙ୍କା ପଛରେ ଧାଉଁଛନ୍ତି । ଏପରିକି ଟଙ୍କା ପାଇଁ ଡାକ୍ତର ରୋଗୀଙ୍କ ଶବକୁ ମଧ୍ୟ ଛାଡୁ ନାହାଁନ୍ତି । କିନ୍ତୁ ଏସବୁ ଭିତରେ ବି ମରିନି ମାନବିକତା । ସମାଜରେ ଏମିତି କିଛି ଡାକ୍ତର ଅଛନ୍ତି ଯେଉଁମାନେ ଟଙ୍କା ପଛରେ ନ ଦୌଡି ଗରିବ ଓ ବେସାହାରାଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି । ଆଉ ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ପୁଣେର ଡାକ୍ତର ଦମ୍ପତି । ଭିକାରୀ, ଗରିବ ଓ ଅସହାୟଙ୍କ ପାଇଁ ଭଗବାନ ଭାବେ ଉଭା ହୋଇଛନ୍ତି ପୁଣେର ଏହି ଡାକ୍ତର ଦମ୍ପତି ଅଭିଜିତ୍ ଓ ମନୀଷା ସୋନବାନେ । ଟଙ୍କା ବରଂ ଅସହାୟଙ୍କୁ ଚିକିତ୍ସା ଯୋଗାଇଦେବାକୁ ଜୀବନୀ ବ୍ରତ ଭାବେ ଧରି ନେଇଛନ୍ତି ଏହି ଡାକ୍ତର ଦମ୍ପତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ସୋହମ ନାମକ ଏକ ସଂଗଠନ ଗଢିଛନ୍ତି, ଯାହା ଭିକାରୀମାନଙ୍କର ମାଗଣାରେ ଚିକିତ୍ସା କରିଥାଏ । ଏପରିକି ଡାକ୍ତର ଅଭିଜିତ୍ ନିଜେ ପ୍ରତ୍ୟେକ ଦିନ ସକାଳୁ ବିଭିନ୍ନ ଧାର୍ମିକ ସ୍ଥଳ ବୁଲିବା ସହ ବାହାରେ ବସିଥିବା ଭିକାରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥାନ୍ତି । ଆଉ ଯେଉଁମାନଙ୍କୁ ରୋଗ ହୋଇଥିବାର ଜାଣିଥାନ୍ତି ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଦେଇଥାନ୍ତି । ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥିବାବେଳେ ଡାକ୍ତର ଦମ୍ପତି ଅନେକ ବେସାହାରା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ୍ୁ ଭେଟିଥାନ୍ତି । ଏମାନଙ୍କ ଚିକିତ୍ସା ତ ଦୂରର କଥା ଏମାନଙ୍କୁ ଦୁଇ ଓଳି ଖାଇବାକୁ ଦେବାକୁ ମଧ୍ୟ କେହି ନଥାନ୍ତି । ଆଉ ଏଭଳି ସମୟରେ ଅଭିଜିତ୍ ସେମାନଙ୍କ ପାଇଁ ଡାକ୍ତର ରୂପି ଭଗବାନ ଭାବେ ଉଭା ହୋଇଛନ୍ତି । ଅଭିଜିତ୍ ନା କେବଳ ଚିକିତ୍ସା କରନ୍ତି ବରଂ ଦରକାର ପଡିଲେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥାନ୍ତି । ଆଉ ଏଥିପାଇଁ ଆବଶ୍ୟକୀୟ ପଡୁଥିବା ସମସ୍ତ ଖର୍ଚ୍ଚ ସେ ନିଜେ ଦେଇଥାନ୍ତି । ଘରୁ ବାହାରିବାବେଳେ ଅଭିଜିତ୍ ସାଙ୍ଗରେ ଔଷଧ ନେବାକୁ ଆଦୌ ଭୁଲନ୍ତି ନାହିଁ । ସେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚିକିତ୍ସା କରିଥାନ୍ତି । ଅଭିଜିତ୍ଙ୍କ ପତ୍ନୀ ମନୀଷା ମଧ୍ୟ ପେଶାରେ ଜଣେ ଡାକ୍ତର । ୨୦୧୪ ମସିହାରେ ଏହି ଡାକ୍ତର ଦମ୍ପତି ସୋହମ ଟ୍ରଷ୍ଟ ନାମକ ଏକ ସଂଗଠନ କରିଥିଲେ । ଆଉ ସେବେଠାରୁ ଗରିବ ଓ ବେସାହାରାଙ୍କ ପାଇଁ ଏହି ଡାକ୍ତର ଦମ୍ପତି ପାଲଟି ଯାଇଛନ୍ତି ଭଗବାନ । ଅଭିଜିତ୍ଙ୍କ କହିବା ଅନୁଯାୟୀ, ସମାଜ ପାଇଁ କିଛି କରିବା ମଧ୍ୟ ତାଙ୍କର ଦାୟିତ୍ୱ । ମୁଁ ପ୍ରଥମେ ଗରିବ, ବେସାହାରା ଓ ଭିକାରୀମାନଙ୍କ ଚିକିତ୍ସା କରି ସେମାନଙ୍କୁ ଠିକ୍ କରିଥାଏ ଓ ପରେ ସେମାନଙ୍କୁ ଭିକ ମାଗିବା ଛାଡିବାକୁ କହିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଥାଏ । ଅଭିଜିତ୍ ନିଜକୁ ଭିକାରୀଙ୍କ ଡାକ୍ତର କହିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ । ଏପରିକି ମଝିରେ ମଝିରେ ମେଡିକାଲ କ୍ୟାମ୍ପ ଲଗାଇ ଭିକାରୀମାନଙ୍କର ମୋତିଆ ବିନ୍ଦୁ ଅପରେସନ୍ ମଧ୍ୟ କରିଥାନ୍ତି । ଅଭିଜିତ୍ଙ୍କ ଲକ୍ଷ୍ୟ ହେଉଛି, ମାଗଣାରେ ଏଭଳି ବ୍ୟକ୍ତିଙ୍କର ଚିକିତ୍ସା କରିବା । କାରଣ ଏମାନଙ୍କର ଦେଖାଶୁଣା କରିବାକୁ କେହି ଆଗକୁ ଆସିନଥାନ୍ତି । ଆଉ ଏଭଳି ପରିସ୍ଥିତିରେ ଅଭିଜିତ୍ଙ୍କ ଏହି କାର୍ଯ୍ୟ ଡାକ୍ତରମାନଙ୍କ ପ୍ରତି ସାଧାରଣ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବ । ଏହାସହ ଅନ୍ୟ ଡାକ୍ତରଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିବ ।